Unknown

ସାଆନ୍ତିଆ ବାହା

ଭିକାରୀ ଚରଣ ପଟ୍ଟନାୟକ

 

ରାମହରି ଦାସ            କରଣ ସାଆନ୍ତ

ହରିହରପୁରେ ଘର

କେହିବା କହନ୍ତି            ଗରିବ ତାହାଙ୍କୁ

କେହି କେହି ଢାଲବର ।

 

ଆଠହାତ ଲମ୍ବ            ଘର ବଖୁରିକ

ମରି ନାହିଁ ତା ମହୁଡ଼

ଉଚ୍ଚ ପିଣ୍ଡା ଦେଖି            କରଣଘର ସେ

ନ ହେବ କଦାପି ହୁଡ଼ି ।

 

ଖୁଣ୍ଟ ଚାରିଖଣ୍ଡି            ବାଉଁଶ ହେଲେହେଁ

କାନ୍ଥ ଚିତା କୋଟିକମ

ନୀଳ ହରିତାଳ            ରଙ୍ଗେ ବିକାଶୁଛି

ମାହାନ୍ତିଆଣୀଙ୍କ ଢମ ।

 

ଚାଟଶାଳୀ ଖଣ୍ଡି            ରାମହରିଙ୍କର

ରାତିଦିନ ଧରି ଛାଟ

ଚାରୋଟି ଟଙ୍କା ରେ            ମାସରେ କମାନ୍ତ

ପିଲାଙ୍କୁ ପଢ଼ାଇ ପାଠ ।

 

ସେଇଥିରୁ ଭାତ            ସବୁ ଦେଲା ନେଲା

ସେଇଥିରୁ ଲୁଗାପଟା

ସେଇଥିରୁ ପୁଣି            ପୂନେଇ ପରବ

ସେଇଥିରୁ ସବୁ ଛଟା ।

 

ଘରଣୀ ମାଇପେ            ଶୁଣିଲେ ଜାଣିବେ

କେତେ କଥା ଲୋଡ଼ା ଘରେ

ଦାଣ୍ଡରୁ ମିଣିପେ            ସିନା କହିଦେବେ

କଲେ ସେ ବୁଝନ୍ତୁ ଥରେ ।

 

ଭାତକୁ ଚାଉଳ            ଥାଉ ବା ନ ଥାଉ

ଓଷା ବାର ଯେ ପଡ଼ିବ

ଅତି ନିକୁଚ୍ଛରେ            ଗୁଡ଼ ଦଶଫଳ

ନ ହେଲେ କାହୁଁ ଚଳିବ ।

 

ସାଆନ୍ତଙ୍କଘରୁ            ଦେ-ଦେଉଣୀଏ

ଜଣେ ଯେବେ ଫେରିଯିବ

ଆଉ କାହିଁ ପାଇଁ            ‘‘ସାଆନ୍ତାଣୀ’’ ଡାକ

ପୁଣି ସେ ଆସି ଡାକିବ ।

 

ଦରବା ଖଣ୍ଡିକେ            ସାତତାଳି ସିଆଁ

ଘରେ ସିନା ପିନ୍ଧି ହେବ

ପୀତାମ୍ବରି ପାଟ            ଦାଣ୍ଡକୁ ନ ଥିଲେ

କାଳେ କେହି ବାଛି ଦେବ ।

 

ଲୁଣ ନ ଥିଲେ ତ             ଅଲଣା ଜାଉରେ

ପେଟ ପୂରିଗଲେ ଗଲା

ବିନା ପାହୁଡ଼ରେ            ବାହା ନମତକୁ

ଚାଲିବେ କେମନ୍ତେ ଭଲା ।

 

ଗୁଣା ନାକଚଣା            ନ ଥିଲେ ନାକରେ

ଉଢ଼ୁଣା କାହୁଁ କାଢିଚ

ସାତ ମାଇପେରେ            ମୁହଁଟି ହଲାଇ

କେମନ୍ତେ କଥା କହିବ ।

 

ବିଲ ଦୁଇଗୁଣ୍ଠ            ବାପାଙ୍କ ଅମଳୁ

ଥିଲା ବୋଲି ରାମହରି

ବିକି ଭାଙ୍ଗି ତାହା            ଖଞ୍ଜାଇଅଛନ୍ତି

ମାନ ମହତକୁ ଡରି ।

 

ପାଦରେ ନୂପୁର            କରି ରଣଝଣ

ଘରଣୀ ଯେବେ ଚାଲିବ

ଘରେ ତିନିଓଳି            ଚୁଲି ଜଳା ନାହିଁ

ଏହା କେ ପରତେ ଯିବ ।

 

ପୁଅ ଗୋଟି ତାଙ୍କ            ଅଠର ବରଷେ

ଗଡିପାଠ ଥିଲା ଯେତେ

ସାରିଦେଇ ସବୁ            ଇଙ୍ଗିରାଜୀ ଭାଷା

ପଢିଗଲାଣି ସେ କେତେ ।

 

ପଢ଼ିଲାଣି ସେହୁ            ତିନୋଟି ବରଷ

ଗୋଟିଏ କିଲାଶ ମାଡ

ଶିଖିଲାଣି ଶିରେ            ଫିରାଇ କଟା ସେ

ଶିଖିଲାଣି ଯୋତାମାଡ଼ା ।

 

ଇଙ୍ଗିରାଜୀଭାଷା            ଭାରି ବଙ୍କାପାଠ

କେତେ କଥା ଲୋଡ଼ା ତହିଁ

ରାତିଦିନ ଜାମା            ଦେହରେ ନ ଥିଲେ

ପାଟିରେ ନ ହୁଏ କହି ।

 

ଖଡିପାଠ ସବୁ            ଜାଣେ ସିନା ବାପ

ଏ ପାଠ ତ ଜଣା ନାହିଁ

ଯେତେବେଳେ ଯାହା            ପୁଅର ବରାଦ

ସକଳ ଯୋଗାଉ ଥାଇ ।

 

ଚାଳଖଣ୍ଡି ବନ୍ଧା            ଦେଲେ ରାମହରି

ମନରେ ପରୁଆ ନାହିଁ

କାହିଁରେ କଅଣ            ପଢିଲାଣି ପୁଅ

ଚିନ୍ତା ଅବା କାହିଁପାଇଁ ।

 

ଆଉ କେଇଦିନେ            ପାଠ ସାରିଦେଲେ

କେଜାଣି କିସ ସେ ହେବ

ଦିନେ ବିଚାରିଲେ            କେତେ ଅବା ରଣ

ସବୁପାକ ସୁଝି ହେବ ।

 

ଏଣେ ଗାଆଁ ଗାଆଁ            ମାହାନ୍ତି ସାଇରେ

ବସିତ ଗଲାଣି ହାଟ

ରାମହରିଙ୍କର            ପୁଅଟିଏ ସେ ତ

ପଢିଲାଣି ଚାରି ପାଠ ।

 

ମାହାନ୍ତି ଘରର            ପୁଅ ସେ ତ ଆସି

ବୟସ ହେଲାଣି ଏତେ

ଝିଅ ବାପମାନେ            ଯେ ଯାହା ଖଞ୍ଜରେ

ଖବର ବୁଝନ୍ତି କେତେ ।

 

ବଡ଼ ବିବେଚକ            ସିନା ରାମହରି

ଶୁଣାପାଇ ଏ ସକଳ

ନିଜ ମନେ ମନେ            ପାଞ୍ଚ କରି ନେଲେ

କେତେ କେତେ କଉଶଳ ।

 

ଆଉ ସବୁ କଥା            ପଛେ ଖୋଜାଖୋଜି

ପହିଲେ ତ ‘ଘର’ ‘ବର’

କେ ଅବା କାହିଁକି            ଝିଅ ଦେବ କହ

ନ ଥିଲେ ଦୁଇ ସୁନ୍ଦର ।

 

ପୁଅ କଥାରେ ତ            ଭାବିବାକୁ ନାହିଁ

ଗୁଣ ବିକାଶୁଛି ତାର

କେବଳ ଘରଟି            ଭାଙ୍ଗି ନ ତୋଳିଲେ

ନ ଚଳେ ଆଉ ବେଭାର

 

ଦୁଇଶ ଟଙ୍କାଟି            ଆଣିଲେ କରଜ

ଚହ୍ନିତ ଗଲେଣି ସାଉ

ପୁଅ ସୁଝି ଦେବ            ଜଣା ଶୁଣା କଥା

ଡ଼ର ଭୟ କାହି ଆଉ ।

 

ବାଉଁଶ ଖୁଣ୍ଟକୁ            ବଦଳାଇ ତାହୁଁ

କାଠ ଖୁଣ୍ଟ ବସାଇଲେ

ପିଣ୍ଡା ଖଣ୍ଡି ଉଚ୍ଚ            ତୁଣାଟ ଭିଡ଼ାଇ

ଧୂଳିଆ ଖଞ୍ଜା ତୋଳିଲେ ।

 

କାହୁଁ କାହୁଁ ସବୁ            ଟିପଣା ଘେନିଣ

ମଧ୍ୟସ୍ଥ ଆସିଲେ ମାଡ

ଅବଧାନ କାମ            କାଳେ କେ ବାଛିବ

ସେ ଗଣ୍ଡିକ ଦେଲେ ଛାଡ଼ି ।

 

ପାଉଘର ଅଛି            ଖରଚ ବରଚ

ଯେବେ ଯାହା ଲୋଡ଼ା ହେଲା

ତମସୁକ ଖଣ୍ଡେ            ଲେଖି ଦେଲାକ୍ଷଣି

ସଙ୍ଗେ ସଙ୍ଗେ ଟଙ୍କା ଦେଲା ।

 

କେହୁ ବୋଲେ ଦେବ      ପଚିଶ ସାଆନ୍ତ

କେ ଯାଚେ ପାଲିଙ୍କି ଘୋଡ଼ା

କେହୁ ବୋଲେ ଦେବ      ହାର ବୀରବୋଲି

ତାପରେ ତିରିଶ ଯୋଡ଼ା ।

 

ରାମହରିଙ୍କର            ରହିଛି ନଜର

ଇଂରାଜୀ ପାଠକୁ ଚାହିଁ

ରାହା ଖରଚଟି            ନ ମିଳିଲେ ପୂରା

ଯବାନ ନ ଦେବେ କାହିଁ ।

 

ଗୋଟିକର ଝିଅ            ଅତି ଅସରଣ

ପୁଣି ସେ ନୂଆ କରଣ

ଦାନ ଯଉତୁକ            ଦେଇ ବିଧିମତେ

ହଜାରଟି ଦେବ ପଣ ।

 

ଏହିଠାରେ ତାଙ୍କ            ମନ ମାନିଗଲା

ଯବାବ ତାହାଙ୍କୁ ଦେଲେ

ହଜାର ଟଙ୍କାଟି            ନଗଦ ମିଳିବ

ମନେ ମନେ ଖୁସି ହେଲେ ।

 

ବାହାଘର ଲାଗି      ଯେତେ ଯାହା ଲୋଡ଼ା

ଲାଗିଗଲା ଆୟୋଜନ

ଗଉଡ଼ ଭଣ୍ଡାରି            ବାଇନା ପାଇଲେ

ଟଙ୍କା ଦେଲେ ମହାଜନ ।

 

ଅତି ଆଡମ୍ବର            ରୋସନି ବରାଦ

ଲାଗିଲେ ବାଣୁଆ ମାଳୀ

ବନ୍ଧୁ ବାନ୍ଧବରୁ            ସୁରୁଜ ମଇତ୍ର

ଦେଲେ ସବୁ ଗୁଆ ଚାଳି ।

 

ଭାଇବନ୍ଧୁ ବସି            ମହାପରସାଦ

ନିରିବନ୍ଧ ହୋଇଥିଲା

କନିଆ ଘରର            ସିଉକାର ତେଣୁ

ବିଳମ୍ବ କରି ଆସିଲା ।

 

ହାର ମୁଦିଠାରୁ            ଗାଲିଚା କମ୍ବଳ

ବିଧିମତେ ପଠାଇଛି

ଦେଖି ରାମହରି            ମନେ ମନେ ତୋଷ

ବାଛିବାକୁ ନାହିଁ କିଛି ।

 

କିନ୍ତୁ କି କରିବେ            ଯେତେ ଯାହା ଦେଲେ

କରଣ ଘରର ବିଧି,

ନିନ୍ଦାକରି ପାଞ୍ଚ            କଥା ନ କହିଲେ

ନ ରହିବ ତାଙ୍କ ସିଧି ।

 

ଯୋଡ଼ଠାରୁ ନୋଟୋ      ଥାଳି ଓ ରେକାବି

ସବୁ କଲେ ଅପରାନ୍ଦ

ଗାଳି ଖାଇବାକୁ            ମଧ୍ୟସ୍ଥ ସାଆନ୍ତେ,

ଦେଲେ ତାଙ୍କୁ ଗାଳି ମନ୍ଦ ।

 

ବିବାହ ଉତ୍ସବ            ମଙ୍ଗଳ କାର୍ଯ୍ୟରେ

ଶଙ୍ଖ ହୁଳାହୁଳି ଯଥା

କଳି କଜିଆଟି            ସେହି ପରକାରେ

ନ ହେଲେ ନ ଚଳେ କଥା ।

 

ଭଲଲୋକେ ତାଙ୍କୁ            ବୋଧ ସୋଧ କଲେ

ପାଟି ଗୋଳ ହେଲା ଶାନ୍ତି

ଚିଟାଉ ପଢ଼ିବେ            ଚକା ଆସନରେ

ବସିଲେ ଜଣେ ମାହାନ୍ତି ।

 

କେତେ ଭାଙ୍ଗକରି            ମୋଡ଼ା ହୋଇଅଛି

କେତେଗୋଟା ଅଛି ‘‘ଶ୍ରୀ’’

କେତେଥର କରି            ‘‘ସାଆନ୍ତ’’ ଲେଖିଛି

କେମନ୍ତ କରଣଗିରି ।

 

ମଢୁଆଖଣ୍ଡିକ            ଗୁଡ଼ା ହୋଇଅଛି

ମାପରେ କେତେ ଅଙ୍ଗୁଳ

କାହିଁ ଗୁଞ୍ଜିଅଛି            ଅଗଟି ତାହାର

କାହିଁ ରଖିଅଛି ମୂଳ ।

 

ଏହି ପରକାରେ            କରଣପଣିଆ

କେତେ ସେ ଦେଖାଇ ଦେଲେ

ନାୟକ ବ୍ରାହ୍ମଣ            ବାରିକ ଶଙ୍ଖୁଆ

ସମସ୍ତେ ତାଟଙ୍କା ହେଲେ ।

 

ସାତ ଜାତି ରଜା            ଆଠ ଜାତି ଡ଼ାଲି

ତିଅଣ ଦଶପ୍ରକାର

ତିନି ଜାତି ଶାଗ            ପାଞ୍ଚ ଜାତି ମାଛ

କେତେ ଜାତିରେ ଆଚାର ।

 

କେତେ ଜାତି ଖଟା            ରାନ୍ଧି ରଖିଅଛି

ରାମହରିଙ୍କ ଘରଣୀ

ତହିଁପରେ ପୁଣି            ବାଟି ରଖିଅଛି

କେତେ ଜାତିରେ ଚଟଣି ।

 

ଖିରିରୁ ଖିରିସା-            ପାଣି କରିଅଛି

ଆରିସା କାକରା ବରା

ପିଠାରେ ପିଠାରେ            ଦଶ କାରଜାତି

ନାନାଜାତି ପୁର ଭରା ।

 

ସିଉକାରିଆଙ୍କୁ            ଖୁଆଇ ପିଆଇ

ବିଦା କଲେ ବିଧିମତେ

ପଡ଼ିଲା ଭାବନା            ନିଜ ସିଉକାର

ଯିବ ଏଥର କେମନ୍ତେ ।

 

କରଣଘରର            ତମକୁ ସିନା ଏ

ସିଉକାର ପଠାଯିବ

ଯାହା ଯାହା ଯିବ            ବାହାଘର ଦିନ

ସବୁ ତ ଫେରିଆସିବ ।

 

ଏହି ପରକାରେ            ଢମପଣିଆରେ

ହାନି ଲାଭ ମିଳେ ଯାହା

କରଣସାଆନ୍ତେ            ଏକା ସେ ବୁଝିବେ

ଆଉ କେ ବୁଝିବ ତାହା ।

 

ନାୟକ ବାରିକ            ପୁରୋହିତ ଆଦି

କିଛି କିଛି ପାଇଯିବେ

ସାଆନ୍ତେ କେବଳ            କମ ବେଶି ଧରି

ବଛା ବଛି ଲାଗିଥିବେ ।

 

ରାମହରି ଅତି            ଚତୁର କରଣ

ଏ ଗାଆଁ ସେ ଗାଆଁ ଗଲେ

ଲୋଟାରୁ ରେକାବି            ପାଟରୁ ଖଣ୍ଡୁଆ

ମାଗି ଯାଚି ରୁଣ୍ଡ କଲେ ।

 

ଏଠାରୁ ଯେମନ୍ତେ            ସିଉକାର ଗଲା

ମହୁରୀ ଶଙ୍ଖ ବଜାଇ

ସେଠାରେ ତେମନ୍ତେ      ବସିଗଲେ ଆସି

ପାଞ୍ଚଦେଶ ସାଇଭାଇ ।

 

ଜାଣନ୍ତି ସମସ୍ତେ            ସକଳ ସାମଗ୍ରି

ବାହାଦିନ ଫେରିଯିବ

ତେବେ ପାଞ୍ଚ କଥା            ଦୋଷ ନ ବାଛିଲେ

ମରିଯାଦା ନ ରହିବ ।

 

କେ କହିଲା ପାଟ            ଖଣ୍ଡିକ ପୁରୁଣା

ସାତଯାଗା ପୋକକଟା

କେହୁ ବୋଲେ ତାହା      ଦେଖ ଭଲକରି

ପାଟ କି ଅବା ସେ ମଠା ।

 

କେହି ବୋଲେ ସେତ      ବାଛୁଥିଲେ ଏତେ

ଆମ୍ଭ ଚିଟାଉରୁ ‘‘ଶିରୀ’’

କାହୁଁ ପାଠ ପଢ଼ି            ଲେଖିଛନ୍ତି ନିଜେ

ପଢ଼ା ଯାଉଅଛି ‘‘ସ୍ତିରି’’

 

ସେ ଦିନ ସେମାନେ            ଯେତେ ପରକାରେ

ଦୋଷ ଗୁଣ ବାଛିଥିଲେ

ଏମାନେ ସେ ସବୁ            ଗଣି ଗଣି ତହୁଁ

ଅଧିକ କରି କହିଲେ ।

 

ସିଉକାର ଦେବା            ନେବା ସରିଗଲା

ବାହାଘର ଗଡ଼ବଡ଼ି

ଯେ ଯାହାର ଲାଗି            କଲେ ଆୟୋଜନ

ଶୁଖାଇଲେ ଜାଇବଡ଼ୀ ।

 

ମାସେ ମାସେ ହେଲା      ଝିଅ ବାପ ଘଟି

ପାଞ୍ଚୁଟା ବଣିଆ ବସି

ଗଢ଼ୁଛନ୍ତି ଯେତେ            ଯେତେ ଅଳଙ୍କାର

ସୁନା ନେଉଛନ୍ତି କଷି ।

 

ମସାକେ ବେସର            ରତିକରେ ଦଣ୍ଡି

ତିନିରତି ଫୁଲଗୁଣା

ଚାରୋଟି ରତିରେ            ଯୋଡ଼ିଏ ବାଉଳି

ଝରାନ ହୋଇବ ଊଣା ।

 

ତିନୋଟି ମାସରେ            ସବୁ ଗଢ଼ା ହେବ

ନାକ କାମ ଅଳଙ୍କାର

ଆକାରରେ ପୁଣି            ହେବ ବଡ଼ ବଡ଼

ଊଣା ନ ହେବ ପ୍ରକାର ।

 

ମାହାନ୍ତି ଘରର            ସାଆନ୍ତିଆ କାମ

ଗଢ଼ି ଶିଖିଥିବ ଯେହୁ

ଗଛେଇ ଗାଛେଇ            ସାଆନ୍ତାଣୀଙ୍କର

ମନ ମନାଇବସେ ହୁ ।

 

ବେକକୁ ଗଢ଼ିଲା            ମହୁନମାଳା ସେ

କେତେଜାତି କାମ କରି

ଧାନ ଚମ୍ପାକଢ଼ି            ପୁଣି କଣ୍ଠିମାଳ

ଗଢିଦେଲା ଚାପପରି ।

 

ସବୁ ସବୁ କରି            ଦେବାକୁ ପଡ଼ିଲା

ପକ୍କାସୁନା ଦେଢ଼ଭରି

ସୁନନାରୀ ସିଆଣା            ଏଣୁ ତେଣୁ ଭରି

ଅଧେନେଲେ ତହୁଁ ହରି ।

 

ସାତ ଭରି ଚୁଡ଼ୀ            ତିନି ଭରି ଖଡ଼ୁ

ପାଞ୍ଚଭରି ଗୋଡ଼ବଳା

ଚାରି ଚାରି ଭରି            ପଇଞ୍ଚ ନେପୁର

ପାହୁଡ଼ ଯୋଡ଼ିକ କଲା ।

 

ଭରିକେ କଲା ସେ            ଝୁମୁକି ମୁଦିଟି

ଆରସି ମୁଦି ଆଠଣା

ଆଉ ଯେତେ ମୁଦି            ଦିଅଣା ଲେଖାଏଁ

ଝୁଣ୍ଟିଆ ଗଣ୍ଡି ଚାରଣା

 

ତାଡ଼ ବାଜୁବନ୍ଧ            ଦୁଇ ଦୁଇ ଭରି

ରସୁଣ ଖୋଳପା ମୋଟ

ପାଉଞ୍ଜ ବାଙ୍କିଆ            କଲା ସେ ସୁନାରୀ

କେହି ତ ନୁହନ୍ତି ଛୋଟ ।

 

ଗୋଡ଼ରୁ ମୁଣ୍ଡ ଯା            ଯେତେ ଅଳଙ୍କାର

ମାହାନ୍ତିଙ୍କ ଘରେ ଚଳେ

ପଚିଶ ଭରିରେ            ଗଢିଲା ବଣିଆ

କି ସୁନ୍ଦର କଉଶଳେ ।

 

ସାଆନ୍ତେ ବସିତି            ନିଜେ ଜଗିଥିଲେ

କହିବାକୁ ଆଉ କାହିଁ

ଭାଙ୍ଗିଲେ ବୁଝିବେ            ଭରିକେ ତହିଁରେ

ଆଠମସା ରୂପା ନାହିଁ ।

 

ବେଦିରୁ ଉଠିବା            ଯାଏ ଝିଅ ଯୋଇଁ

କାରିଗର ଯଗିଥିବ

ଯେତେବେଳେ ଯାହା      ଝଡ଼ି ପଡ଼ୁଥିବ

ସଙ୍ଗେ ସଙ୍ଗେ ସେ ଯୋଡ଼ିବ ।

 

ଯଉତୁକ ଲାଗି            ବାସନ ଲାଗିବ

ପଚିଶ ତିରିଶ ଥାନ

ସୁମାରିରେ ଊଣା            ହେଲେ ପୁଣି ତେଣେ

ରହିବ ନାହିଁ ତ ମାନ ।

 

ଥଟାରି ଘରକୁ            ନିତି ଫରମାସି

ଖୋଜି ଖାଜ କାହୁଁ ଆଣ

ମୂଲଟି ପଡ଼ିବ            ଅଳପ କଉଡି

ଆଖିକି ନ ହେବ ସାନ ।

 

କଂସା ଖଣ୍ଡି ଖଣ୍ଡି            ଚାରି ଚାରି ପଳ

ନୋଟା ଗୋଟି ଆଠପଳ

ତାଟିଆ ଗୋଟିକ            ପଳେ ପଳେ କରି

ଥାଳିପଟି ପାଞ୍ଚ ପଳ ।

 

ଚଦର ପିତଳ            ଆଣି ସେ ତହିଁରେ

ଗିଲାସ ଦିଓଟି ଦେବ

ଗରା ଚାରିଗୋଟିଏ            ଗୋଟିକ ଓଜନ

ପନ୍ଦର ପଳଟି ହେବ ।

 

ଘରେ ଯେତେ ଥିଲା      ପୁରୁଣା ପୁରୁଣି

ଘଷିଦେବ ଆଉ ଥରେ

ଫାଟି ଯାଉ ଫୁଟି            ଯାଉ ପଛେ ତାହା

ତାଲିକା ଚଢ଼ିବା ପରେ ।

 

ବଢ଼େଇ ଦୂଆରେ            ତଲାସ ଏଥର

ଥଟାରି କାମ ତ ଗଲା

ଆମ୍ବପଟାରେ ସେ            ପଲଙ୍କ ଭିଡିଛି

ରଙ୍ଗଟି କେମନ୍ତ କଲା ।

 

ପାଳଧୁଆ ପଟା            ସୁଆରି ଖଣ୍ଡିକ

ଟାଣ କରିଦେବ ଆଡି

ଝିଅ ଯାଉଁ ଯାଉଁ            ବାଟରେ ଯେମନ୍ତ

ତାନ ନ ପଡ଼ିବ ଛାଡ଼ି

 

ଦୁଇପିଠି ରଙ୍ଗ            କରୁ ସେ ତାହାର

ଆଠ ଟଙ୍କା ପଛେ ନେବ

କାମ ସାରି ନିଯ            ଘରେ ରଖିଥିବ

ଝିଅ ବିଦାବେଳେ ଦେବ ।

 

ଛିଟ ଗଜେ ଗଜେ            ଛଅଟି ପଇସା

ପୁଞ୍ଜିଏ ତକିଆ କର

ତୁଳା ନ ଅଣ୍ଟିଲେ            ଛଣପାଳ କାଟି

ମିଶାଇ ତହିଁରେ ଭର ।

 

ଶେଜ ଦୁଇଖଣ୍ଡି            ସେହି ଛିଟକନା

ଦରଜି ବସାଇ ଘରେ

ଛିଣ୍ଡା କନା ପୁଣି            ଅଡ଼ୁଆ ଝୋଟରୁ

ମିଶିଲା ତୁଳା ସଙ୍ଗରେ ।

 

ପେଡି ତିନିଗୋଟି            ଦେଲା ଚିତ୍ରକର

ଜଗତ ପେଡ଼ିଟି ବଡ଼

ବୋହି ନେବା ଲାଗି            ଝିଅର ଶଶୁର

ଖୋଜିବ ଗାଡ଼ି ଶଗଡ଼ ।

 

ତହିଁ ଲାଗି ଖଣ୍ଡେ            ଚାନ୍ଦୁଆ ସିଇଁବ

ପଦ୍ମଫୁଲ ପଡିଥିବ

ଚାରି ପଇସିଆ            ସାଲୁ ଦୁଇ ଗଜ

ଲୁଗା ହେଲେ ଚଳିଯିବ ।

 

ଝିଅ ମା ଘରଣୀ            କେତେ କାଳରୁ ସେ

ଶାଢ଼ୀ ଲୁଗା ପିନ୍ଧେ ଯେତେ

ମୁହି ଗଣ୍ଡି ଖଣ୍ଡି            ଲୋଡ଼ା ହେବ ବୋଲି

ସାଇତି ରଖିଛି କେତେ ।

 

ଆର ପେଡ଼ି ଲାଗି            ହଳଦାଇ ଦେଲା

ଦୁଇ ଖଣ୍ଡି ତହୁଁ ଆଣି

ଚିରା ଫଟା ଯାକ            ଦରଜ ସିଇଁଲା

ନ ହେଲା ତ କିଛି ଜାଣି ।

 

ଚୋପା ଗଲ ଗଲ            ଧନିଆ ଚାଉଳ

ସୋରିଷ ଯେ ଭୁଷି ମିଶା

କାହିଁ ସେ ମିଳିବ            ଖୋଜି ଖାଜି ଆଣ

ଅଳପ ହେବ ପଇସା ।

 

ମାଳି ପାଟଫୁଲି            ଆଣ ଗୋଛା ଗୋଛା

କାଠ ପାନିଆ ଦିକୋଡ଼ି

କାଠ କଣ୍ଢେଇରୁ            ଆଣିକ ଦଶଣ୍ଡା

ଗଣ୍ଠି କଉଡି ଦିବୋଡି ।

 

ପଡ଼ୁଆ ପାଞ୍ଚଣ୍ଡା            ତିନି ପେଡି ଲାଗି

ସାନ ବଡ଼ ମିଶାଇଣ

ଫଡୂଆ ଗୋଟିକୁ            ଅଧଲା ହିସାବେ

ସବୁ ମସଲାରୁ କିଣ ।

 

ତେଜପତରରୁ            ଆଣ ଦିଅଣାର

ବହୁତ ମିଳଇ ତାହା

କଣ୍ଢେଇ କନାରେ            ପେଡ଼ି ପୂରିଯିବ

ବାକୀ ରହିଯିବ ଯାହା ।

 

ଝିଅ-ମା ଚତୁରୀ            ସଜାଡ଼ିଲା ପେଡ଼ି

ବାଛିବ କେ ତାକୁ ପୁଣି

ଚାରୋଟି ଟଙ୍କାରେ            ତିନିପେଡି ଭରା

ଖୁସି ହେଲେ ସବୁ ଶୁଣି ।

 

ବରବାପ ଏଣେ            ଅତି ହରବର

ଏ ଗାଆଁ ସେ ଗାଆଁ ଧାଇଁ

କାହିଁ ସେ ମିଳିବ            ଚାଲିଚା ତକିଆ

ବର ଯୋତ ମିଳେ କାହିଁ ।

 

ଗୋଡ଼ରେ ଫୁଟିଲା            ଚାନ୍ଦି, କି କରିବେ

ପାଲିଙ୍କି ନ ହୁଏ ସଜ

ବିଣ୍ଡିହେଲା ମୁଣ୍ଡ            ପଡ଼ି ଗୋଡ଼ତଳେ

ଗଉଡ଼ ନ ହେଲେ ଖଞ୍ଜ ।

 

ଭଣ୍ଡାରି ଗୋଟିକେ            ହାଙ୍କିଲେ ବାରଣା

ଗଉଡ଼ ଗୋଟିକେ ଟଙ୍କା

ନାକ କାନ ମୋଡ଼ି            ଚାପୁଡ଼ା ଖାଇଲେ

ପଛେ ଯିବା ଆଗେ ପକା ।

 

ବାଜାଦାରମାନେ            ଖୋରି ଦେଢଟଙ୍କା

କି ହେବ ହେଲେ ସେ ପାଣ

ଅକଳ ବେଳକୁ            ସବୁ ଅସରଣ

ମୋଡ଼ାଇଲେ ପୁଣି କାନ ।

 

ବନ୍ଧୁ ବାନ୍ଧବରେ            ଗୁଆ ଚାଲିଛନ୍ତି

ସମସ୍ତେ ତାଙ୍କରି ପରି

ସାଆନ୍ତ କୁଣିଆ            ହୋଇ ସେ ଆସିବେ

କାହୁଁ କିସ ସଜ କରି ।

 

କରଣିଆ କରି            ଭାର ସଜାଡ଼ିଲେ

ମାଛ ଦିବିସାକୁ ଜଣେ

ଭାର ଗୋଟିକରେ            ଦିପୁଞ୍ଜା ନଡ଼ିଆ

କଦଳୀ ଭାରକ ପଣେ ।

 

ସାରୁ ବାଇଗଣ            ବିଶାକେ ଅଙ୍ଗାଏ

ଭାର ସବୁ ଚାଲିଗଲା

ନିଜ ଯିବା ଲାଗି            ଦଉଡ଼ି ଦଉଡ଼ି

ଗୋଡ଼ରୁ ତ ପାଣି ମଲା ।

 

କେହି ପାଇଅଛି            ପାନବଟା ଖଣ୍ଡି

ମିଳୁନାହିଁ ପିକଦାନି

କେ ଖୋଜଇ ଭଲ            କରି ଲୁଗା ଯୋଡ଼େ

ପିନ୍ଧି ଯିବ କାହୁଁ ଆଣି ।

 

କେହି ଖୋଜେ କାହା      ଘରେ ଥିବ ପରା

ପାଟ କି ମଠା ଯୋଡ଼ିଏ

ସାଆନ୍ତ କୁଣିଆ            ହୋଇ ସେ ପିନ୍ଧିବେ

ଗାଧୁଆ ସାରି ଘଡ଼ିଏ ।

 

ସୁଆରି ଖଣ୍ଡିଏ            ସଜ ହେଲା କାର

ନ ଥାଉ ପଛକେ ତଳି

ପାଞ୍ଚୋଟି ବେହେରା      ଊଣା ହେଉଛନ୍ତି

ତିନୋଟିରେ କାହୁଁ ଚଳି ।

 

ଦିନେ କାଳେ ନାହିଁ            ଚଢ଼ନ୍ତେ ସୁଆରି

ନ ହେଲା ପଛକେ ଥାଉ

ସୁମାରି ବେଳକୁ            ସୁଆରି ଖଣ୍ଡିକ

କେମନ୍ତେ ପହଞ୍ଚି ଯାଉ ।

 

ବାହାଘର ଦିନ            ସଜ କରୁଁ କରୁଁ

ରାତି ହେଲା ଆସି ଶେଷ

ବାହା ଲଗ୍ନ ଗଡି            ଗଲାଣି କୁଆଡ଼େ

ବର ହେଉଅଛି ବେଶ ।

 

କାଉ କାଆ କଲା            ତରବର ହୋଇ

ଧାଇଁଲେ ଯେ ଯହିଁ ଥିଲେ

ବେଳ ପହଡ଼କ            ସରିକି ରୋସନି

ପଡ଼ିଆ ଯାଇଁ ଧରିଲେ ।

 

ମସାଲ ସେଡ଼ିରେ            ଲାଗିଲା ଆଲୁଅ

ଭୁଇଁ ଚମ୍ପା ସର ସର

ଖରା ତରାସରେ            ଚନ୍ଦର ଉଦିଆ

ଦିଶୁଅଛି କି ସୁନ୍ଦର ।

 

ଫୁଟିଲା ବମ୍‌ବାଜି            ଢୋ ଢୋ ଶବ୍ଦରେ

ମାଙ୍କଡ ଡେଇଁଲେ ଗଛେ

ପଦ୍ମଚକ୍ରୀ ଦେଖି            ମାଇପେ ହସିଲେ

ପିଲା ଢାଳି ଦେଲେ ପଛେ ।

 

ଅତି ଯମକରେ            ବେହିଆ ମୁହରେ

ମିଳିଲେ କନିଆଘର

ସାଆନ୍ତ କୁଣିଆ            ପଣିଆ ଗଉଁରେ

ଭୁଇଁ କମ୍ପେ ଥରହର ।

 

ଚରଣ ଧଉତ            ପାଇଁକି ସାଆନ୍ତେ

କେତେ ମହଜରା କଲେ,

ମାଳା ଓ ଚନ୍ଦନ            ଧରି ଉଭାହେଲେ

ନ ନିଅନ୍ତି ତାହା ଭଲେ ।

 

କେତେ କେତେ କଥା      ଲାଗିଗଲା ଶେଷେ

ବେଦିରେ ବସିଲା ବର

ସାଆନ୍ତେ ବସିଲେ            ଚାହିଁ ଉପରକୁ

ଉପାସରେ ହରବର ।

 

ଗାଧୋଇ ପାଧୋଇ            ଚକା ଆସନରେ

ବସିଛନ୍ତି ଚିତାକାଟି

ପାଟ ମଠା ଯୋଡ଼            ପାକଲା ଗାମୁଛା

ଭୋକେ ଅଠା ଅଠା ପାଟି ।

 

ବିଭାଘର ଶେଷ            ନ ହେଲେ ନ ଚଳେ

ମହା ପରସାଦ ସେବା

ପୁରୁଣା ପୁରୁଣା            ସାଆନ୍ତେ କହିଲେ

ସେ କଥା ଲଙ୍ଘିବ କେବା ।

 

ଶଙ୍ଖ ହୁଳାହୁଳି            ପଡ଼ିଲା ଚହଳ

ବେଦିକି ଆସଇ ଝୁଅ

ପ୍ରଥମ ବରଣ            ଶେଷ ହୋଇଅଛି

ଆଗହୁଁ ବସିଛି ପୁଅ ।

 

ଚାଲଇ କନିଆ            ପାଦ ଗଣି ଗଣି

ହାତରେ ଅଞ୍ଜୁଳି ଘେନି

ଖଣ୍ଡୁଆ କାନିରେ            ସବୁ ଲୁଚିଅଛି

ଦିଶୁଛି ଚରଣ ବେନି ।

 

ଆଙ୍ଗୁଳି ଗୋଟିକ            ଗୋଟି ଜାମୁକୋଳି

ତହିଁରେ ଅଳତା ପାଟି

ଦଶଇ ଯେସନେ            ଗଛରୁ ପଡ଼ି ସେ

ଯାଇଅଛି ପରା ଫାଟି ।

 

ଦେଖି ରାମହରି            ଜାଣିଲେ ମନରେ

ବୋହୁଟି ତ୍ରି ପଣ୍ଡକାଳୀ

ପ୍ରଥମରୁ ବୁଝି            ନାହାନ୍ତି ସେ କଥା

କି ହେବ ଏ କ୍ଷଣେ ଭାଳି ।

 

ବର ମୁହଁ ମାଡ଼ି            ବସିଅଛି ସିନା

ମନେ ମନେ ଭାରି ରୋଷ

କହି ନ ପାରଇ            ସିନା ଗୋଲି କିଛି

ବାପାର ଏ ସବୁ ଦୋଷ ।

 

କୌଣସି ପ୍ରକାରେ            ଦେବି କାମ ଶେଷ

ବେଳ ବୁଡ଼ିଲାଣି ଆସି

ବର ନ ଗାଧାଏ            ନୋଟା ଅପସନ୍ଦ

ବିଲରୁ ଫେରିଲେ ଚାଷୀ ।

 

ଗାଧୂଆ ଯୋଡ଼ଟି            ମନକୁ ନ ଆସେ

ଫୋପଡ଼ା ଫୋପଡ଼ି କେତେ

ଧରାଧରି କରି            କାମ ସାରିନେଲେ

ଠିଆ ହୋଇଥିଲେ ଯେତେ ।

 

ମହାପରସାଦ            ସେବାକୁ ଡ଼ାକନ୍ତି

ହାତ ଗୋଡ଼ ଯୋଡି ଠିଆ

ପେଟ ପୋଡିଯାଉ            ସାଆନ୍ତ କୁଣିଆ

ସହଜେ ଉଠିବେ କିଆଁ ।

 

ଓଜର ମାଜର            କେତେ ଉଡ଼ିଗଲା

ରାତି ହେଲା ପାଞ୍ଚଘଡ଼ି

ବହୁତ କଷ୍ଟରେ            ହେଲା ଅନୁମତି

ସେ କାମଟି ଗଲା ବଢ଼ି ।

 

ଠାଆପିଢା କଥା            ପଛେ ବୁଝାଯିବ

ଦାନ ଯଉତୁକ ଆଣ

ଭୋଜନ ସରିଲେ            ବିଦା ହୋଇଯିବେ

ଆଗହୁଁ ସାର ଏ ମାନ ।

 

ଶେଷରେ ଦେବାକୁ            ଝିଅ ବାପ ତହିଁ

ଅଳି କଲେ କେତ କେତେ

ସାଆନ୍ତମାନେ ତ            ନ ଶୁଣନ୍ତି ତାହା

କହିଲେ କି ହେବ ଯେତେ ।

 

ଠାଆପିଢା କାମ            ନ ସରିବା ଯାଏ

ହାତରେ ତାଙ୍କର ଚୁଟି

କହିବେ ସେ ଯାହା            ନ ମାନିଲେ ତାହା

କରାଇବେ କୁଟି କୁଟି ।

 

କି କରିବେ ଝିଅ-            ବାସ ସାଇ ଭାଇ

ବସି ସବୁ ଲାଗି ଗଲେ

ଦାନ ଯଉତୁକ            ଯାହ ଯହିଁ ଥିଲା

ସଜାଡ଼ି ସୁମାରି କଲେ ।

 

କଣ୍ଢେଇ କନାରୁ            ଶିଳ କଳାପାତି

ନ ଛାଡ଼ିଲେ ଦାନ୍ତଖୁଣ୍ଟା

ତାଲିକା ଚଢ଼ିଲା            ସାତୋଟି ପତର

ଲେଖନ ହୋଇଲା ଥୁଣ୍ଟା ।

 

ବାରିକ ଚାଲିଲେ            ପଚିଶ ତିରିଶ

ପହଞ୍ଚିଗଲା ସେ ତାଟ

ଦେଖଣା ହାରିଏ            ଚମକି ଉଠିଲେ

ମାହାନ୍ତି ଘରର ଛାଣ୍ଟ ।

 

ବରଜାତିମାନେ            ବସିଗଲେ ଘେରି

ତାଲିକା ପଢ଼ିଲେ ଜାଣ

ଶିଳରୁ କଦଳୀ-            ବାସୁଙ୍ଗା ସହିତେ

ସୁମାରି ନଅଶ ଥାନ ।

 

ମନେ ମନେ ବର-            ବାପ ଖୋଜୁଅଛି

ରାହା ଖରଚଟି କାହିଁ

ତାଲିକା ମାଫିକେ            ସବୁ ମିଳୁଅଛି

ସେତିକ ତ କାହିଁ ନାହିଁ ।

 

ବରଜାତି ହୋଇ            ସାଆନ୍ତ କୁଣିଆ

ଆସି ବର ସଙ୍ଗେ ଯେହୁ

କଜିଆ ନ କଲା            ଆସିଲେ କି ହେବ-

ସୁମାରିରେ ନୋହେ ସେହୁ ।

 

ଗୋଟି ଗୋଟି କରି            ବାଛି ବାଛି ସବୁ

କେତେ କଥା କହୁଛନ୍ତି

ଏଣେ ହୁଇଁ ହାଇଁ            କରେ ବରବାପ

ହଜି ତ ଗଲାଣି ମତି ।

 

କନିଆ ବାପକୁ            ଡାକରା ପଡ଼ିଲା

କିହୋ ଟଙ୍କାତକ କାହିଁ ?

ବଡ଼ ଦୁଃଖ କରି            ଜଣାଇଲେ ସେହୁ

ଅବିକା ତ ହେଉନାହିଁ ।

 

ସାଉ ଖଞ୍ଜ କରି            ତମସୁଳ ଲେଖି

ରେଜେଷ୍ଟିରି କରିଦେଲି

କାଳେ ଏଣେ ତେଣେ      ଲାଗିଯିବ ବୋଲି

ଏଯାଏ ଟଙ୍କା ନ ନେଲି ।

 

ଆଜି ଦେବେ ବୋଲି      କଥା ହୋଇଥିଲା

ଖୋଜିଲି ନାହାନ୍ତି ଘରେ

ଆସିଲାକ୍ଷଣି ସେ            ଟଙ୍କା ଆଣି ତହୁଁ

ପଠାଇଦେବି ମୁଁ ପରେ ।

 

ପତିଆରା ଯେବେ            ନୋହୁଛି ତୁମ୍ଭର

ତମସୁକ ରଖ ନେଇ

ସାଉ ଘଟୁ ଆସି            ଟଙ୍କା ଘେନିଯିବ

କାଗଜ ପକାଇ ଦେଇ ।

 

ବଜର ପାହାର            ରାମହରିଙ୍କର

ପଡିଗଲା ପରା ମୁଣ୍ଡେ

ଅନ୍ଧାର ଦିଶିଲା            ଚାରିଆଡ଼େ ତାଙ୍କୁ

କଥା ନ ଆସିଲା ତୁଣ୍ଡେ ।

 

ଏତିକି ବେଳକ            ବରଘର ଧାଈ

ଗୁପତେ ବରକୁ ଡ଼ାକି

କହିଲା ବୋହୁଟି            ଜନମରୁ ଜାଡ଼ୀ

ପୁଣି ସେ ଚେପଟାନାକୀ ।

 

କୋକିଳ ପରାଏ            ସୁକାନ୍ତି ତାହାର

ବେଦିରୁ ତ ଦେଖିଥିଲେ

ଏତିକି ଶୁଣନ୍ତେ            ପେଟରେ ସେ ରାଗ

ଆଉ ରଖି ନ ପାରିଲେ ।

 

ହୁ – କରି ଉଠି            କହିଲା ରାଗରେ

ନ ରହିବ ଆଉ ଘରେ

ବାପ କି ଶଶୁର            ବୋଲିଣ ମହତ

ନ ରଖିଲା ସେହୁ ଥରେ ।

 

ଯାହା ଇଚ୍ଛା ତାହା            ବକିଗଲା କେତେ

ଯାହା ତା ଆସିଲା ମୁଖେ

ପାଗ ପଗଡିକୁ            ଚିରି ଫୋପାଡ଼ିଲା

ଡରିବ ଆଉ କି ସୁଖେ ।

 

କାହାକୁ ଚାପୁଡ଼ା            କାହାକୁ ବା ବିଧା

ନାଚିଲା ଉଠି ସେ ଖଣ୍ଡେ

ହେଲା ସେ ବାତୁଳ            ପଳାଇବ ତହୁଁ

ନ ରହିବ ଆଉ ଦଣ୍ଡେ ।

 

ଧରାଧରି କରି            ଅଟକାଇ ଦେଲେ

ସାଆନ୍ତ କୁଣିଆଗଣ

ଝିଅ ବାପ ଯାଇ            କାହିଁ ଯେ ଲୁଚିଲା

ନ ମିଳଇ ଦରଶନ ।

 

ଯେତେ ଯହିଁ ଥିଲେ            ସମସ୍ତେ ଧାଇଁଲେ

ଆଚମ୍ବିତ ହେଲେ ଶୁଣି

ରାମହରିଙ୍କର            ସବୁ ଦୋଷ ଏଥି

ଧିକ୍କାରିଲେ ତାଙ୍କୁ ପୁଣି ।

 

ଠାଆପିଢା କଥା            କିଏ ପଚାରୁଛି

କେ କାହିଁ ଗଲେ ପଳାଇ

ରହିଗଲେ ଖାଲି            ବୁଢ଼ା ବୁଢ଼ା କରି

ପାଞ୍ଚଜଣ ସାଇ ଭାଇ ।

 

ବୋହୁକୁ ସେ ପୁଣି            ନେବେ କି ନ ନେବେ

ବିଚାର ପଡ଼ିଲା ତେବେ

ଦେଶ ଅପବାଦ            ଅଧିକ ହୋଇବ

ବୋହୁ ଛାଡ଼ି ଯିବେ ଯେବେ ।

 

ବାପ ପୁଅ ଦୁଇ            ଜଣଙ୍କୁ ସମସ୍ତେ

ବୁଝାଇଲେ ନାନାମତେ

ଜଳ ସ୍ପର୍ଶ ଆଉ            ନ ହେବ ସେଠାରେ

ବିଦା ହେବେ ସେ କେମନ୍ତେ ।

 

ଅଭିମାନ କରି            ଦାନ ଯଉତୁକ

ସବୁ ସେ ଫେରାଇ ଦେଲେ ।

ଲୋକ ଅପବାଦ            ହେବ ବୋଲି ଡରେ

କେବଳ ବୋହୁଟି ନେଲେ

 

କରମ ତୁମ୍ଭର            ଅତି ଅବିବେକ

ଆହେ ରାମହରି ଭାଇ

ଚାଟଶାଳୀ ଗଲା            କରଜ ବଢ଼ିଲା

ସାଉ ବସିଛନ୍ତି ଚାହିଁ ।

 

ଏତିକରେ କିଛି            ନ ହୋଇଲା ଶେଷ

ପୁଣି ଅଛି କେତେ ଦଶା

ନିଜ କଲା କର୍ମ-            ଫଳ ଏ ତୁମ୍ଭର

ହେଲା ଖାଲି ଲୋକ ହସା ।

 

କରଣ ସାଆନ୍ତେ            ଯେତେଦିନ ଯାଏ

ତମ କଥା ନ ଛାଡ଼ିବେ

ତୁମ୍ଭରି ପରିକା            ଧୂଳିଆ ପିଣ୍ଡାରେ

ବସି ମାଳି ଜପୁଥିବେ ।

 

ନିଜ ବଳ ଯେବେ            ନିଜେ ନ କଳିବ

କରୁଥିବ ଏହି ଢ଼ପ

କରଣ କୁଳର            ମୂଳ ବୁଡ଼ିଯିବ

ଲାଗିଥିବ ଦାଣ୍ଡେ ଗପ ।

 

ହାତ ଯୋଡି ଭାଇ            କହୁଅଛି ମୁହିଁ

ଛାଡ଼ ଏ ଶୁଖିଲା ମାନ

ଦେଖି ଚାହିଁ ଏବେ            ଦେଶ କାଳଗତି

ବେଗେ ହୁଅ ସାବଧାନ ।